ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟିଲା ଏବିଭିପି
ଢେଙ୍କାନାଳ,୯ ।୧ : କରୋନା କାଳରେ ସମଗ୍ର ବିଶ୍ୱରେ ଅର୍ଥନୈତିକ ସଂକଟ ଦେଖାଯାଇଛି । ଏହି ସମୟରେ କଲେଜ୍ ମଧ୍ୟ ବନ୍ଦ ଥିଲା । ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାର ଏକ ବିରାଟ ପ୍ରଭାବ ଶିକ୍ଷା ଜଗତରେ ପଡିଥିଲା । ଏବିଭିପି ଢେଙ୍କାନାଳ ପକ୍ଷରୁ ରିଆଡମିଶନ ଦେୟ ପୈଠ କରିବା ପାଇଁ କଲେଜ୍ ସୂଚନା ଦେବା ପରେ ଆଜି ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦିଆଯାଇଥିବା ଦେୟର ପରିମାଣକୁ ଦେଖି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନେତୃତ୍ୱରେ ଛାତ୍ରଛାତ୍ରୀମାନଙ୍କ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲା ସଂଯୋଜକ ଅର୍ଜିତ୍ ପଟ୍ଟନାୟକଙ୍କ ନେତୃତ୍ୱରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ଡ. ରଞ୍ଜିତ୍ କୁମାର ପ୍ରଧାନଙ୍କୁ ଭେଟି କରି ଦାବୀପତ୍ର ଜ୍ଞାପନ କରିବା ସହ ଆଲୋଚନା କରିଥିଲେ । ଦାବୀଗୁଡିକ ମଧ୍ୟରେ କରୋନା କାଳରେ ସମସ୍ତଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ କଲେଜ୍ର ଦେୟ ପରିମାଣ ଯଥାଶୀଘ୍ର କମାଯିବା, +୩ ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବାହାରିଥିବା ନୋଟିସ୍ରେ ଦେୟର ପରିମାଣ ଲେଖା ଯାଇନଥିବା ବେଳେ ବର୍ତମାନ ବାର୍ଷିକ ପରୀକ୍ଷା ବାବଦକୁ ଦାବୀ କରାଯାଉଥିବା ୯୦୦ ଟଙ୍କାକୁ କମାଯାଇ ପୂର୍ବ ଦେୟ ଅନୁଯାୟୀ ସମାନ ରଖାଯିବା,ଗତବର୍ଷ ୪ର୍ଥ ସେମିଷ୍ଟାର୍ ଓ ୨ୟ ସେମିଷ୍ଟାର୍ ହୋଇନାହିଁ । ସେ ବାବଦକୁ ନେଇଥିବା ପରୀକ୍ଷା ଦେୟକୁ ଚଳିତ ବର୍ଷ ମିଶାଇ ମୋଟ୍ ଦେୟକୁ ୫୦% କମ୍ କରାଯିବା, ଗତବର୍ଷ ମାର୍ଚ୍ଚ ମାସରୁ କ୍ଲାସ୍ ହୋଇନଥିବାବେଳେ କଲେଜ୍ ମାଗୁଥିବା ଡେଭେଲପ୍ମେଂଟ ଫିସ୍କୁ ଛାଡ କରାଯିବା, ୨୦୨୦- ୨୦୨୧ ମସିହା ପାଇଁ ଦିଆଯାଇଥିବା ଦେୟ ପରିମାଣକୁ ସଂପୂର୍ଣ୍ଣ ଭାବେ କମାଇବା,୪ର୍ଥ ଓ ୨ୟ ସେମିଷ୍ଟାର୍ ପରୀକ୍ଷା କରୋନା ଯୋଗୁଁ ହୋଇନାହିଁ ଏବଂ କଲେଜ୍ କହିଲା ସେମାନଙ୍କୁ ଆଭରେଜ୍ ମାର୍କି ଦିଆଯିବା ଓ ଦିଆଯାଇଥିବା ମାର୍କରେ ଯେଉଁମାନେ ସନ୍ତୁଷ୍ଟ ହେବେନାହିଁ, ସେମାନଙ୍କର ପରୀକ୍ଷା କରାଯିବା, ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ କଲେଜ ଏପର୍ଯ୍ୟନ୍ତ ପରୀକ୍ଷାର ଫଳ ବାହାର କଲାନାହିଁ । ଗୋଟିଏ ତୃତୀୟ ବର୍ଷର ଛାତ୍ର ତା’ର ପରୀକ୍ଷା ଫଳ ନଜାଣିଲେ କେମିତି ପରବର୍ତୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ? ତେଣୁକରି ଆପଣ ଯଥାଶୀଘ୍ର ୪ର୍ଥ ଓ ୨ୟ ସେମିଷ୍ଟାରର ଫଳ ପ୍ରକାଶ କରିବା ପାଇଁ ଦାବୀ କରିଛନ୍ତି । ୧୧ ତାରିଖ ଠାରୁ କଲେଜ ଖୋଲାଯିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ କଲେଜ୍କୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରିବା ସହ କ୍ଲାସ୍ ଆସିବାକୁ ଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ସଂପୂର୍ଣ୍ଣ ସୁବିଧା ଯୋଗାଇବାକୁ ଅନୁରୋଧ କରାଯାଇଥିଲା । ବିଭିନ୍ନ ବିଷୟରେ ଆଲୋଚନା ହେବା ପରେ ଡ. ରଞ୍ଜିତ କୁମାର ପ୍ରଧାନ ଆଶ୍ୱସନା ଦେଲେ ଯେ, ଆଗାମୀ ସପ୍ତାହରେ ଅଧ୍ୟକ୍ଷାଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଉପରୋକ୍ତ ଦାବୀ ଗୁଡିକୁ କାର୍ଯ୍ୟକାରୀ କରାନଗଲେ ବିଦ୍ୟାର୍ଥୀ ପରିଷଦ ଛାତ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ଏହି ପ୍ରତିନିଧିମଣ୍ଡଳରେ ନଗର ସଂପାଦକ ଅଭିନବ ବେହେରା, ସହସଂପାଦକ ସୌରଭ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧାକର ସାହୁ, ବିକ୍ରମ ବେହେରା, ବିରେନ୍ ମହାନ୍ତି, ସୁରେଶ କୁମାର ଜେନାମଣି, ଅମ୍ବ୍ରିତ୍ ଅଭିଷେକ୍ ଦାସ ପ୍ରମୁଖ ଛାତ୍ରନେତାମାନେ ଉପସ୍ଥିତ ଥିଲେ
Comments
Post a Comment